ବ୍ରାହ୍ମଣଦାରେ ନିର୍ବାଚନୀ ହିଂସା, ପୋଷ୍ଟର ଚିରାକୁ କେନ୍ଦ୍ରକରି ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାଲେଶ୍ଵର, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ବ୍ରାହ୍ମଣଦାରେ ଦେଖିବାକୁ ମିଳିଛି ନିର୍ବାଚନି ହିଂସା । ପୋଷ୍ଟର ଚିରାକୁ କେନ୍ଦ୍ରକରି ବିଜେଡ଼ି କର୍ମୀଙ୍କ ଗୁଣ୍ଡାରାଜ, ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବିଜେଡ଼ି ସମର୍ଥକ । ଏହି ହିଂସା କାଣ୍ଡରେ ବହୁ ଲୋକ ଜଖମ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଡାକ୍ତର ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିବା ବେଳେ ଆହତଙ୍କ ଚେତା ନଥିଲା । ରିପୋର୍ଟ ସଂଗ୍ରହରୁ ଜଣାପଡିଛି ଗତକାଲି ସକାଳେ ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କ ପୋଷ୍ଟର କଂଗ୍ରେସ ଓ ବିଜେପି କର୍ମୀ ଛିଣ୍ଡାଇ ଥିବାନେଇ ବିଜେଡ଼ି ସମର୍ଥକ ଅଭିଯୋଗ କରି କଂଗ୍ରେସ କର୍ମୀଙ୍କ ସହିତ ପାଟିତୁଣ୍ଡ କରିଥିଲେ । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟର କଂଗ୍ରେସ କି ବିଜେପି ନୁହଁ ଛୋଟ ପିଲା ଛିଣ୍ଡାଇ ଥିବା ପକ୍ଷଙ୍କୁ ତାଗିଦ କରିଥିଲା ।

ମାତ୍ର ଏହାକୁ କେନ୍ଦ୍ରକରି ସନ୍ଧ୍ୟାରେ ପୁଣି ବିଜେଡ଼ି ସମର୍ଥକ କଂଗ୍ରେସ ଓ ବିଜେପି ସମର୍ଥକଙ୍କ ଉପରେ ଆକ୍ରମଣ କରିଥିଲେ । ପୂର୍ବ ଯୋଜନା ମୁତାବକ ଅନ୍ୟ ଗ୍ରାମରୁ ଯଥା ପଥୁରିଆ, ରଣମୁଣ୍ଡଳି ଆଦି ଗ୍ରାମରୁ ସମର୍ଥକ ଆଣି ଏହି ଗଣ୍ଡଗୋଳ ଯୋଜନା ବିଜେଡି କରିଥିଲା ବୋଲି ବ୍ଲକ୍ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତା ପ୍ରକାଶ କରିଥିଲେ । ପୋଲିସ ଘଟଣା ସ୍ଥଳରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା । ଏହି ଗଣ୍ଡଗୋଳରେ ପ୍ରତିପକ୍ଷଙ୍କ କଟୁରୀ ଚୋଟରେ ସେହି ଗ୍ରାମର ବସନ୍ତ ପରିଡ଼ା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାର ଡ଼ାକ୍ତର ପ୍ରକାଶ କରିଥିଲେ ।

Leave a Reply

Your email address will not be published.