ଚେନ୍ନାଇ: ତାମିଲନାଡୁରେ ବଦଳିବକି ସରକାର। ଦୀର୍ଘ ୧୦ ବର୍ଷ ପରେ ପୁଣିଥରେ ରାଜ୍ୟରେ କ୍ଷମତା ଦଖଲ କରିବାକୁ ଯାଉଛି ଏମକେ ଷ୍ଟାଲିନଙ୍କ ଡିଏମକେ। ଡିଏମକେ ଏଥର କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢ଼ୁଥିଲା। ସେହିପରି ଶାସକ ଏଆଇଏଡିଏମକେ ଓ ବିଜେପି ଏକାଠି ନିର୍ବାଚନ ଲଢ଼ୁଥିଲେ।
ହେଲେ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ, ଡିଏମକେ ଶାସକ ଦଳ ଠାରୁ ଯଥେଷ୍ଟ ଆଗରେ ରହିଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଡିଏମକେ ୧୩୧ଟି ଆସନରେ ଆଗରେ ଥିବା ବେଳେ ଏଆଇଏଡିଏମକେ ୯୯ଟି ଆସନରେ ଲିଡ କରୁଛି। ଅନ୍ୟାନ୍ୟ ଦଳ ୩ଟି ଓ ସାଉଥ ଷ୍ଟାର କମଲ ହାସ ଗୋଟିଏ ଆସନରେ ଆଗରେ ରହିଛନ୍ତି।
ଆଉ ମାତ୍ର କିଛି ରାଉଣ୍ଡ ଭୋଟ ଗଣତି ବାକି ରହିଥିବାରୁ ଡିଏମକେ ହିଁ ରାଜ୍ୟର ସରକାର ଗଠନ କରିବ ବୋଲି ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ତଥାପି ନିର୍ବାଚନ କମିଶନଙ୍କ ଘୋଷଣାକୁ ଅପେକ୍ଷା ରହିଛି। ଭୋଟ ଶେୟାର କଥା ଦେଖିଥିଲେ ଡିଏମକେ ସପକ୍ଷରେ ୩୮% ଭୋଟ ରହିଥିବା ବେଳେ ଏଆଇଏଡିଏମକେ ୩୫% ଭୋଟ ପାଇଛି।
ପ୍ରାଥମିକ ଭୋଟ ଗଣତି ଟ୍ରେଣ୍ଡକୁ ଦେଖି ଡିଏମକେ ସମର୍ଥକମାନେ ଉତ୍ସବ ମନାଇବା ଆରମ୍ଭ କଲେଣି। ଅନେକ କର୍ମୀ ଦଳର ମୁଖ୍ୟାଳୟ ଆନ୍ନା ଅରିଭାଲୟମରେ ଏକାଠି ହୋଇ ପରସ୍ପରକୁ ମିଠା ଖୁଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। ୨୩୪ ଆସନ ବିଶିଷ୍ଟ ତାମିଲନାଡୁରେ ସରକାର ଗଠନ ପାଇଁ ୧୧୮ଟି ଆସନ ଦରକାର।
ପ୍ରଥମଥର ରାଜ୍ୟବାସୀ ଡିଏମକେର ପ୍ରତିଷ୍ଠାତା ଏମ କରୁଣାନିଧି ଓ ଏଆଇଏଡିଏମକେର ଜୟଲଳିତାଙ୍କ ଅବର୍ତ୍ତମାନରେ ଭୋଟ ଦେଇଛନ୍ତି। ୧୯୬୭ରୁ ପ୍ରତି ୫ ବର୍ଷରେ ଥରେ ଡିଏମକେ ଓ ଆଉ ଥରେ ଏଆଇଏଡିଏମକେ କ୍ଷମତା ଦଖଲ କରୁଥିଲେ। ହେଲେ ଗତ ୨ ବିଧାନସଭା ନିର୍ବାଚନରେ ଜୟଲଳିତାଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁ ଏଆଇଏଡିଏମକେ ଲଗାତର ବିଜୟ ହାସଲ କରିଥିଲା।
ଏବେ ପୁଣିଥରେ ସବୁକିଛି ବଦଳିବାର ସଙ୍କେତ ମିଳିଛି।