ଶିକ୍ଷକଙ୍କ ଦ୍ୱାରା ମଧ୍ୟାହ୍ନ ଭୋଜନରେ ୧୧ କୋଟି ଦୁର୍ନୀତି

ଫିରୋଜାବାଦ,(ନାଗରାଜ ନ୍ୟୁଜ) : ଉତ୍ତର ପ୍ରଦେଶର ଫରୋଜାବାଦରେ ବେସିକ ଶିକ୍ଷା ବିଭାଗରେ ମଧ୍ୟାହ୍ନ ଭୋଜନରେ ୧୧ କୋଟି ଟଙ୍କାରୁ ଅଧିକ ଦୁର୍ନୀତି ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଭିଜିଲାନ୍ସ ଟିମ୍‌ର ତଦନ୍ତ ଅନୁସାରେ ଏହି କାମ ୨୦୦୮ରୁ ୨୦୧୪ ମଧ୍ୟରେ କରାଯାଇଛି । ପ୍ରାଥମିକ ସ୍କୁଲ ଶିକୋହାବାଦରେ କାର୍ଯ୍ୟରତ ସହକାରୀ ଶିକ୍ଷକ ଚନ୍ଦ୍ରକାନ୍ତ ଶର୍ମା ୨୦୦୬ରେ ସାରସ୍ୱତ ଆବାସକ ଶିକ୍ଷା ସମିତି ନାଁରେ ଏକ କମିଟି ଗଠନ କରିଥିଲେ । ଏହାକୁ ସୋସାଇଟି ଆଇନ ଅନୁସାରେ ପଂଜୀକରଣ କରାଯାଇଥିଲା । ବର୍ଷ ୨୦୦୮ରୁ ୨୦୧୪ରେ ପର୍ଯ୍ୟନ୍ତ ଫିରୋଜାବାଦ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଯୋଜନା ଅନୁସାରେ ସରକାରଙ୍କ ତରଫରୁ ୧୧,୪୬,୪୦,୩୮୪ ଟଙ୍କା ଦିଆଯାଇଥିଲା ।

ଏତେ ଟଙ୍କାକୁ ଅନେକ ଥର ପଂଜାବ ନ୍ୟାସନାଲ ବ୍ୟାଙ୍କ, ଶିକୋହାବାଦରେ ଜମା କରାଯାଇଥିଲା । ଏହି ଟଙ୍କାକୁ ପଂଜାବ ନ୍ୟାଶନାଲ ବ୍ୟାଙ୍କରୁ ବାହାର କରାଯାଇ ଅନ୍ୟ ବ୍ୟାଙ୍କରେ ନକଲି ନାଁରେ ଖୋଲାଯାଇଥିବା ଆକାଉଣ୍ଟରେ ଜମା କରାଯାଇଥିଲା । ଭିଜିଲାନ୍ସ ଟିମ୍‌ର ତଦନ୍ତ ଅନୁସାରେ ଚନ୍ଦ୍ରକାନ୍ତ ଶର୍ମା ଏହି ଟଙ୍କାରେ ଆଗ୍ରା ଓ ଅନ୍ୟ ଅଞ୍ଚଳରେ ସଂପତ୍ତି କିଣିଛନ୍ତି । ଅଭିଯୁକ୍ତ ଏହି ସଂପତ୍ତିରେ ବେଆଇନ ଭାବରେ ଭବନ ନିର୍ମାଣ କରି ବିଦ୍ୟୁତ ସଂଯୋଗ ମଧ୍ୟ କରିଛନ୍ତି । ତଦନ୍ତ ଅଧିକାରୀ ଅମର ସିଂହଙ୍କ ଅନୁସାରେ ଏହି ଦୁର୍ନୀତିରେ ଚନ୍ଦ୍ରକାନ୍ତଙ୍କ ସହିତ ଅନ୍ୟ ଅଧିକାରୀମାନେ ମଧ୍ୟ ସଂପୃକ୍ତ ଅଛନ୍ତି । ଏଥିରେ ଶିକ୍ଷା ବିଭାଗ, ମିଡ-ଡେ-ମିଲ ସମନ୍ୱୟକ, ଡାକଘର, ଆଗ୍ରା ଆବାସ ବିକାଶ ପରିଷଦ, ନଗର ନିଗମ ଫିରୋଜାବାଦ, ଉପନିବନ୍ଧକ ଚିଟଫଣ୍ଡ ରେଜିଷ୍ଟ୍ରେସନ ଓ ଟୋରଣ୍ଟୋ ପାୱାର ସହିତ ଅନେକ ବ୍ୟାଙ୍କ ମଧ୍ୟ ଏହି ଦୁର୍ନୀତିରେ ସଂପୃକ୍ତ ଅଛନ୍ତି । ତଦନ୍ତରୁ ଜଣାପଡ଼ିଛି ଯେ ନକଲି କାଗଜପତ୍ର ଦେଇ ସୋସାଇଟିର ପଂଜୀକରଣ କରାଯାଇଛି ।

Leave a Reply

Your email address will not be published.