ନୂଆଦିଲ୍ଲୀ: ପଶ୍ଚିମ ଏବଂ ଉପକୂଳବର୍ତ୍ତୀ ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଏଥିରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ ବର୍ଷା ଯୋଗୁଁ ରାୟଗଡ଼ ଏବଂ ରତ୍ନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରତ୍ନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ିବାରେ ଲାଗିଛି । ଏକ ନଦୀରେ ପାଣି ଫୁଲିବା ଦ୍ୱାରା କୋଙ୍କଣ ରେଲପଥର ସେବା ଅସ୍ଥାୟୀ ରୂପେ ସ୍ଥଗିତ କରିଦିଆଯାଇଛି । ଫଳରେ ପାଖାପାଖି ୬ ହଜାର ଯାତ୍ରୀ ଫସିଯାଇଛନ୍ତି । ବର୍ଷା ଜଳରେ ଫସିଥିବା ଲୋକଙ୍କୁ ଏନ୍ଡିଆରଏଫ୍ର ଯବାନମାନେ ଉଦ୍ଧାର କରୁଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଗୁରୁବାର ରାତି ସେନା ଏବଂ ନୌସେନା ମୁତୟନ ହୋଇଛନ୍ତି ।
ଏହି କାରଣରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରରେ ଉପୁଜିଥିବା ସଂକଟ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ଫୋନରେ କଥାବାର୍ତ୍ତା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତିଯେ, ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାର ଯଥାସମ୍ଭବ ସହଯୋଗ କରିବେ ।