ନୂଆଦିଲ୍ଲୀ: ଦେଶର ସେଣ୍ଟ୍ରାଲ୍ ଡ୍ରଗ୍ ଅଥରିଟି କମିଟି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ୨ବର୍ଷରୁ ୧୭ ବର୍ଷ ବୟସର ପିଲାମାନଙ୍କ ଉପରେ କରୋନା ଭାଇରସ୍ ଟିକା ‘କୋଭୋଭ୍ୟାକ୍ସ’ର ଦ୍ୱିତୀୟ ଓ ତୃତୀୟ କ୍ଲିନିକାଲ୍ ପରୀକ୍ଷା କରିବାର ଅନୁମତିକୁ ପ୍ରତ୍ୟାଖାନ କରିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ସୋମବାର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) ରେ ୧୦ଟି ସ୍ଥାନରେ ୯୨୦ ପିଲାଙ୍କ ଉପରେ କୋଭୋଭାକ୍ସ ଟିକା ପରୀକ୍ଷା ପାଇଁ ଅନୁମତି ମାଗିଥିଲା ।
ସୂଚନାନୁସାରେ, ଆବେଦନ ଉପରେ ବିଚାର ବିମର୍ଶ କରି ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନର କରୋନା ଭାଇରସ୍ ଉପରେ ଥିବା ବିଶେଷଜ୍ଞ କମିଟି ଜାଣିବାକୁ ପାଇଛିଯେ, ଏପର୍ଯ୍ୟନ୍ତ କୌଣସି ଦେଶରେ ଏହି ଟିକା ଅନୁମତି ଦିଆଯାଇ ନାହିଁ ।
ସେ କହିଛନ୍ତିଯେ, ପିଲାମାନଙ୍କ ଉପରେ କୋଭୋଭାକ୍ସ ଟିକା ପରୀକ୍ଷା କରିବାକୁ ଅନୁମତି ଦେବା ପାଇଁ ବୟସ୍କଙ୍କ ଉପରେ ଏହି ଟିକାକରଣର କ୍ଲିନିକାଲ ପରୀକ୍ଷଣର ନିରାପତ୍ତା ଓ ପ୍ରତିରକ୍ଷା ସମ୍ବନ୍ଧୀୟ ତଥ୍ୟ କମ୍ପାନୀ ଦାଖଲ କରିବା ଉଚିତ ବୋଲି କମିଟି ପରାମର୍ଶ ଦେଇଛି । ଯଦି ଏହା ଅନୁମୋଦିତ ହୋଇଥାନ୍ତା, କୋଭାଭ୍ୟାକ୍ସ ଭାରତର ତୃତୀୟ ଟିକା ହୋଇଥାନ୍ତା ।
ଏହାପୂର୍ବରୁ ଭରତ ବାୟୋଟେକର କୋଭାକ୍ସିନ ଓ ଜିଡସଙ୍କ ଜାଇକୋଭ-ଡି ମଧ୍ୟ ପରୀକ୍ଷା ଚାଲିଛି । ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଆମେରିକାର ବାୟୋଟେକ୍ନୋଲୋଜି କମ୍ପାନୀ ନୋଭାଭାକ୍ସର ଟିକା ଭାରତରେ କୋଭୋଭାକ୍ସ ନାମରେ ପ୍ରସ୍ତୁତ କରିବାକୁ ଯୋଜନା କରିଥିଲା । ମାର୍ଚ୍ଚରେ ଭାରତରେ ଏହି ଟିକା ପରୀକ୍ଷା ଆରମ୍ଭ ହୋଇଥିଲା। ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର୍ଶ ପୁନାୱାଲା କହିଥିଲେଯେ, ଏହି ଟିକା ସେପ୍ଟେମ୍ବର ସୁଦ୍ଧା ଭାରତରେ ପହଞ୍ଚିପାରେ ।ସେରମ୍ ଇନଷ୍ଟିଚ୍ୟୁଟ୍ ଭାରତରେ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେଙ୍କା ଦ୍ୱାରା ବିକଶିତ କୋଭିଡ ଟିକା ମଧ୍ୟ ପ୍ରସ୍ତୁତ କରିଛି ।