ପ୍ରବେଶିକା ପରୀକ୍ଷା ପାଇଁ ହେବ କମନ ଇଲିଜିବିଲିଟି ଟେଷ୍ଟ

ନୂଆଦିଲ୍ଲୀ: ପ୍ରବେଶିକା ପରୀକ୍ଷା ପାଇଁ ହେବ କମନ ଇଲିଜିବିଲିଟି ଟେଷ୍ଟ । ୨୦୨୨ ପ୍ରାରମ୍ଭରୁ ଏହା ଲାଗୁ ହେଉଛି । ସମଗ୍ର ଦେଶରେ ଏକ କମନ ଇଲିଜିବିଲିଟି ଟେଷ୍ଟ (ସିଇଟି) ଅନୁଷ୍ଠିତ ହେବ । କେନ୍ଦ୍ର ସରକାରୀ ଚାକିରିରେ ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରାଯିବ । ଏନେଇ ସୂଚନା ଦେଇଛନ୍ତି ଉତ୍ତର ପୂର୍ବାଞ୍ଚଳର ବିକାଶ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ । ସେ କହିଛନ୍ତିଯେ, କମନ ଇଲିଜିବିଲିଟି ଟେଷ୍ଟ କରିବା ପାଇଁ ଜାତୀୟ ନିଯୁକ୍ତି ଏଜେନ୍ସି (ଏନଆରଏ) କେନ୍ଦ୍ର କ୍ୟାବିନେଟର ଅନୁମୋଦନ କ୍ରମେ ଗଠନ କରାଯାଇଛି ।

ସରକାରୀ କ୍ଷେତ୍ରରେ ଚାକିରି ପାଇଁ ପ୍ରାର୍ଥୀଙ୍କୁ ସ୍କ୍ରିନ / ସର୍ଟଲିଷ୍ଟ କରିବାକୁ ଜାତୀୟ ନିଯୁକ୍ତି ଏଜେନ୍ସି ସିଇଟି ପରିଚାଳନା କରିବ ଯେଉଁଥିପାଇଁ ଷ୍ଟାଫ ସିଲେକ୍ସନ କମିଶନ (ଏସଏସସି), ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ମାଧ୍ୟମରେ ନିଯୁକ୍ତି ଦିଆଯାଉଛି । ସିଂ କହିଛନ୍ତିଯେ, ସାଧାରଣ ପ୍ରବେଶିକା ପରୀକ୍ଷା ହେଉଛି ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ ଦ୍ବାରା ଯୁବ ଚାକିରି ଆଶାକର୍ମୀମାନଙ୍କ ପାଇଁ “ନିଯୁକ୍ତିର ସହଜତା” ଆଣିବା ପାଇଁ କରାଯାଇଥିବା ଏକ ସଂସ୍କାର । ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍କାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁବକମାନଙ୍କ ପ୍ରତି ଗଭୀର ତଥା ସମ୍ବେଦନଶୀଳ ଚିନ୍ତା ଓ ଦେଶର ଯୁବପିଢିଙ୍କୁ ଜାତୀୟସ୍ତରୀୟ ଖେଳ କ୍ଷେତ୍ର ତଥା ସମାନ ସୁଯୋଗ ପ୍ରଦାନ କରିବାକୁ ତାଙ୍କର ଉତ୍ସାହର ପ୍ରତିଫଳନ ବୋଲି ସେ କହିଛନ୍ତି।

ଜାତୀୟ ନିଯୁକ୍ତି ଏଜେନ୍ସି ଏକ ମଲ୍ଟି-ଏଜେନ୍ସି ସଂସ୍ଥା ହେବ ଯାହା ଗ୍ରୁପ୍-‘ବି’ ଓ ‘ସି’ (ଅଣ-ବୈଷୟିକ) ପଦବୀ ପାଇଁ ପ୍ରାର୍ଥୀଙ୍କୁ ସ୍କ୍ରିନ ଏବଂ ସର୍ଟଲିଷ୍ଟ କରିବା ପାଇଁ ସାଧାରଣ ପରୀକ୍ଷା କରିବ। ଏହି ସଂସ୍କାରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ପରୀକ୍ଷା କେନ୍ଦ୍ର ରହିବ ଯାହା ଦୂରଦୂରାନ୍ତରେ ରହୁଥିବା ପ୍ରାର୍ଥୀଙ୍କ ପ୍ରବେଶକୁ ବହୁଗୁଣିତ କରିବ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ସହିତ ନିଆଯାଇଥିବା ଏହି ଅନନ୍ୟ ପଦକ୍ଷେପ ଚଳିତ ବର୍ଷ ଶେଷ ପୂର୍ବରୁ ପ୍ରଥମ ଏଭଳି ପରୀକ୍ଷା ଆରମ୍ଭ କରିବାକୁ ସ୍ଥିର ହୋଇଥିଲା, କିନ୍ତୁ କରୋନା ମହାମାରୀ ହେତୁ ବିଳମ୍ବ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published.