ଆଜି ହେଉଛି କାର୍ଗିଲ ଦିବସ

ନୂଆଦିଲ୍ଲୀ: ପୂରା ଭାରତ ଦେଶ ଆଜି ପାଳୁଛି ଅବିସ୍ମରଣୀୟ ଦିବସ କାର୍ଗିଲ ବିଜୟ ଦିବସ । ୨୨ ବର୍ଷ ପୂର୍ବେ କାର୍ଗିଲ ପାହାଡ଼ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା । ସେହି ଦିନକୁ ଭୂଲି ପାରିନାହାନ୍ତି ଭାରତବାସୀ । ପାକିସ୍ତାନୀ ସୈନିକମାନେ କାର୍ଗିଲ ପାହାଡ଼ରେ ଅନୁପ୍ରବେଶ କରିଥିଲେ । ଏହାର ସୂଚନା ମିଳିବା ପରେ ଭାରତର ବୀର ଯବାନମାନେ ନିଜ ଜୀବନକୁ ବଳିଦାନ ଦେଇ ଅପରେସନ ବିଜୟ ଆରମ୍ଭ କରିଥିଲେ । କାର୍ଗିଲରେ ଅନୁପ୍ରବେଶ କରିବା ପାଇଁ ଶତ୍ରୁ ଦେଶ ପାକିସ୍ତାନ ବହୁ ଦିନ ପୂର୍ବରୁ ଆରମ୍ଭ କରିଦେଇଥିଲା ଯୋଜନା ।

୧୯୯୮ରେ ପାକିସ୍ତାନୀ ସେନା ଏକ ବ୍ରିଗେଡିୟରକୁ କାର୍ଗିଲ ସେକ୍ଟରକୁ ପଠାଇଥିଲା । ଏହି ବ୍ରିଗେଡିୟରର ରିପୋର୍ଟ ଆଧାରରେ ଅନୁପ୍ରବେଶ କରିବା ପାଇଁ ପାକିସ୍ତାନ କରିଥିଲା ପ୍ଲାନିଂ । ଏହାପରେ ପାକିସ୍ତାନୀ ସେନାର ପ୍ରାୟ ୨୦୦ ଯବାନ ସାଧାରଣ ପୋଷାକରେ ଭାରତ ସୀମାରେ ଅନୁପ୍ରବେଶ କରିଥିଲେ। ସେହି ସମୟରେ ଭାରତୀୟ ଯବାନମାନେ ଶୀତ ଛୁଟିରେ ଘରକୁ ଯାଇଥିଲେ।

ଶୀତ ଛୁଟି ସାରି ଫେରିବା ବେଳକୁ କାର୍ଗିଲର ୨୦୦ ରୁ ୩୦୦ ବର୍ଗ କିଲୋମିଟର ଅଞ୍ଚଳକୁ ପାକିସ୍ତାନ କବ୍ଜା କରି ସାରିଥିଲା । ୧୯୯୯ ମେ ମାସରେ କାର୍ଗିଲରେ ପାକିସ୍ତାନର ଅନୁପ୍ରବେଶ ବିଷୟରେ ଭାରତକୁ ଜଣା ପଡିଥିଲା। ଏହାପରେ ମେ ୮ରେ ପାକିସ୍ତାନ ଭାରତ ମଧ୍ୟରେ କାର୍ଗିଲ ଯୁଦ୍ଧ ଆରମ୍ଭ ହୋଇଥିଲା। ଭାରତୀୟ ସେନା ଅପରେସନ ବିଜୟ ଆରମ୍ଭ କରିଥିଲା। ଏହି ଯୁଦ୍ଧରେ ସ୍ଥଳ ସେନା ସହ ବାୟୁ ସେନା ମଧ୍ୟ ମୋର୍ଚ୍ଚା ସମ୍ଭାଳିଥିଲା। ତେବେ ଶତ୍ରୁ ପକ୍ଷ ପାହାଡ଼ ଉପରେ ଥିଲେ, ଯାହାକି ଭାରତୀୟ ସେନା ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା । ତେବେ ସବୁ ବାଧା ବିଘ୍ନ ପାର କରି ଭାରତୀୟ ସେନାର ଅଦମ୍ୟ ସାହାସ ବଳରେ ଜୁଲାଇ ୨୬ରେ କାର୍ଗିଲ ଉପରେ ଭାରତ ତ୍ରିରଙ୍ଗା ଉଡ଼ାଇଥିଲା।

ଏହାପରେ ପାକିସ୍ତାନୀ ସେନାକୁ ପରାସ୍ତ କରି କାର୍ଗିଲ ପାହାଡ଼ ଉପରେ ତ୍ରିରଙ୍ଗା ଉଡ଼ାଇଥିଲେ । ସେହି ସମୟର ପ୍ରଧାନମନ୍ତ୍ରୀ ଥିବା ଅଟଳ ବିହାରୀ ବାଜପେୟୀ ୧୯୯୯ ମସିହା ଜୁଲାଇ ୨୬ରେ କାର୍ଗିଲ ଯୁଦ୍ଧରେ ବାରତର ବିଜୟ ଘୋଷଣା କରିଥିଲେ। ଭାରତୀୟ ସେନାର ଏହି ଅଦମ୍ୟ ସାହସ ଏବଂ ବଳିଦାନକୁ ସ୍ମରଣ କରିବା ତଥା ଅଭିବାଦନ ଜଣାଇବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ରେ କାର୍ଗିଲ ବିଜୟ ଦିବସ ପାଳନ କରୁଛି ଦେଶ।

କାର୍ଗିଲ ଯୁଦ୍ଧରେ ପାକିସ୍ତାନର ୬୦୦ ରୁ ଅଧିକ ସୈନିକ ନିହତ ହୋଇଥିଲେ। ୧୫୦୦ରୁ ଅଧିକ ସୈନିକ ଆହତ ହୋଇଥିଲେ। ସେହିପରି ଭାରତୀୟ ସେନାର ୫୬୨ ଜଣ ଯବାନ ଶହୀଦ ହୋଇଥିଲେ ଓ ୧୩୬୩ ଜଣ ଯବାନ ଆହତ ହୋଇଥିଲେ। ଦୁଇ ମାସରୁ ଉର୍ଦ୍ଧ୍ଵ ସମୟ ଧରି ଚାଲିଥିବା ଏହି ଯୁଦ୍ଧ ବିଶ୍ଵ ଇତିହାସରେ ଲିପିବଦ୍ଧ ହୋଇ ରହିଗଲା। ଏହି ଦିନଟିକୁ ଦେଶ ବିଜୟ ଦିବସ ରୂପେ ପାଳନ କରୁଛି।

Leave a Reply

Your email address will not be published.