ନୁପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ହିଂସା

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ): ନୁପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଦେଶର କିଛି ସ୍ଥାନରେ ଶୁକ୍ରବାର ହିଂସାକାଣ୍ଡ ଘଟିଛି । ଆଜି ମଧ୍ୟ କିଛି ସ୍ଥାନରେ ହିଂସାକାଣ୍ଡ ଘଟିଛି । ପ୍ରୟାଗରାଜରୁ ହାଓ୍ୱଡା ଓ ରାଞ୍ଚୀରେ ବ୍ୟାପକ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଥିଲା । ପଶ୍ଚିମବଙ୍ଗର ହାଓ୍ୱଡାରେ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି । ବିକ୍ଷୋଭକାରୀମାନେ ପୋଲିସ ଉପରକୁ ପଥର ମାଡ ମଧ୍ୟ କରିଥିଲେ । ଏହାପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା । ହାଓ୍ୱଡାରେ ହିଂସା ଓ ଦଙ୍ଗା ରୋକିବାକୁ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । ଜୁନ ୧୩ ତାରିଖ ଯାଏଁ ଇଣ୍ଟରନେଟ ଉପରେ କଟକଣା ଲାଗୁ ହୋଇଛି । ଏବେସୁଦ୍ଧା ୭୦ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଉତ୍ତରପ୍ରଦେଶ ପୋଲିସ ପ୍ରୟାଗରାଜ ହିଂସାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ଲାଗିଛି । ଘରୁ ବାହାରକୁ ବାହାରିଥିବା ଲୋକଙ୍କୁ ଅଟକ ରଖାଯାଇଛି । ଝାଡଖଣ୍ଡର ରାଞ୍ଚୀରେ ମଧ୍ୟ ବ୍ୟାପକ ହିଂସାକାଣ୍ଡ ଘଟିଛି । ଏଠାରେ ଜୁନ ୧୨ ଯାଏଁ ଇଣ୍ଟରନେଟ୍ ବନ୍ଦ କରାଯାଇଛି । ୧୩ଟି ଥାନା ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ହୋଇଛି । ଭିଡିଓ ଓ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଧରିବାରୁ ପ୍ରୟାସ ଜାରି ରହିଛି ।

Leave a Reply

Your email address will not be published.