ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ): ମହଙ୍ଗା ମାଡ଼ରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଆଗାମୀ ଦିନରେ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ଆଗାମୀ କିଛି ଦିନରେ ଖାଇବା ତେଲର ଖୁଚୁରା ଦର ହ୍ରାସ ପାଇବାର ଅନୁମାନ କରାଯାଉଛି । ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରାଳୟର ବୈଠକ ପରେ ଖାଦ୍ୟ ତେଲ ପ୍ରୋସେସର ଓ ନିର୍ମାତା ତେଲ ଦର ହ୍ରାସ କରିବା ନେଇ ସହମତି ଜଣାଇଛନ୍ତି । ବିଦେଶୀ ମାର୍କେଟରେ ଖାଇବା ତେଲର ଦର ହ୍ରାସ ପାଇଲା ପରେ ଘରୋଇ ଦରରେ ମଧ୍ୟ ହ୍ରାସ କରାଯାଇପାରେ । ସରକାରଙ୍କ ଉଦ୍ୟମ ହେଲା ଯେ, ହ୍ରାସ ପାଇଥିବା ତେଲ ଦରରୁ ଉପଭୋକ୍ତା ଉପକୃତ ହେବେ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଖାଇବା ତେଲ ଉତ୍ପାଦନ କରୁଥିବା କଂପାନୀଗୁଡ଼ିକ ଅନ୍ତର୍ଜାତୀୟ ବଜାରରେ ତେଲ ଦର ହ୍ରାସ ପାଇବା ଯୋଗୁଁ ଘରୋଇ ବଜାରରେ ଏହାର ମୂଲ୍ୟ କମ କରିବାକୁ ନେଇ ସହମତି ହୋଇଛନ୍ତି । ତେଣୁ ଆଗାମୀ ଦିନରେ ଖାଇବା ତେଲ ଦର ୧୦ରୁ ୧୨ ଟଙ୍କା କମ ହୋଇପାରେ ବୋଲି ଆଶା କରାଯାଉଛି । କିନ୍ତୁ ତେଲ କଂପାନୀଗୁଡ଼ିକ ଗତ ମାସ ତେଲ ଦର ହ୍ରାସ କରିଥିଲେ । ଅନ୍ୟପଟରେ ମନ୍ତ୍ରାଳୟ କହିବା ଅନୁସାରେ ବିଶ୍ୱ ବଜାରରେ ତେଲର ଦର ହ୍ରାସ ପାଇଥିବାରୁ ଏବେ ଘରୋଇ ବଜାରରେ ମଧ୍ୟ ତେଲ ଦର ହ୍ରାସ ପାଇବା ଆଶା କରାଯାଇପାରିବ ।